ରାଜନୀତି

ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ, କେନ୍ଦ୍ରାପଡ଼ା, ଭୁବନେଶ୍ୱର ଓ ପୁରୀ ଉପରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନଜର

ଭୁବନେଶ୍ବର : ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରଠାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବାଂଲା ଅନୁପ୍ରବେଶକାରୀଙ୍କୁ ନେଇ ତିକ୍ତତା ଦେଖାଦେଇଛି। ଏପରିସ୍ଥଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ଏସ୍‌‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।

ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନର ଉତ୍ତରରେ ଲିଖିତ ଉତ୍ତର ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ତହସିଲ, ବ୍ଲକ ଏବଂ ଥାନା ସ୍ତରର ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରି ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ସମେତ କେନ୍ଦ୍ରାପଡ଼ା ଜିଲ୍ଲା, ଭୁବନେଶ୍ୱର ଏବଂ ପୁରୀରେ ରହୁଥିବା ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବିଧାୟକ କଳିକେଶ ନାରାୟଣସିଂଦେଓଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ଜଳପଥ ସହ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଦେଇ ଆସୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଓଡ଼ିଶାରେ ସମସ୍ତ ତଟବର୍ତ୍ତୀ ଜିଲ୍ଲାର ଏସ୍‌‌ପିଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି। ଜଳପଥରେ ପାଟ୍ରୋଲିଂ ବୃଦ୍ଧି ପାଇଁ ସେମାନଙ୍କୁ ସତର୍କ କରାଯାଇଛି। ସମସ୍ତ ଜିଲ୍ଲାର ଏସ୍‌‌ପି, ରାଜ୍ୟ ଗୁଇନ୍ଦା ସଂସ୍ଥାର ଅଧିକାରୀ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ, ତଟରକ୍ଷୀ ବାହିନୀର ଅଧିକାରୀ, ନୌବାହିନୀର ଅଧିକାରୀମାନଙ୍କୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଯଥା ସମୁଦ୍ରରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଏବଂ ବେଆଇନ ଅନୁପ୍ରବେଶ ରୋକିବାକୁ ସମୟୋଚିତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଗୁଇନ୍ଦା ବିଭାଗ ତରଫରୁ ତଟବର୍ତ୍ତୀ ମତ୍ସ୍ୟଜୀବୀ ସଂଘ ସହ ଯୋଗସୂତ୍ର ରକ୍ଷା କରି ଅନୁପ୍ରବେଶକାରୀଙ୍କ ଉପରେ ଖବର ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଉତ୍ତରରେ ଜଣାଇଛନ୍ତି।

୨୦୨୧ ମସିହା ସୁଦ୍ଧା ରାଜ୍ୟରେ ମୋଟ ୩୭୪୦ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ରହୁଥିଲେ। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୬୪୯, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫, ଭଦ୍ରକରେ ୧୯୯, ନବରଙ୍ଗପୁରରେ ୧୦୬, ଭୁବନେଶ୍ୱରରେ ୧୭ ଓ ବରଗଡ଼ ଜିଲ୍ଲାରେ ୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ନିଜ ଦେଶକୁ ପଠାଇବା ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମୁଦ୍ରିକ ଥାନାର କର୍ମଚାରୀଙ୍କ ସହ ତଟରକ୍ଷୀ ବାହିନୀ ଏବଂ ମତ୍ସ୍ୟ ବିଭାଗର ଅଧିକାରୀମାନେ ସମୁଦ୍ର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତୀୟ ଓ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଜାତୀୟ ଜନସଂଖ୍ୟା ରେଜିଷ୍ଟର କାର୍ଡ ରିଡର୍‌ ମେସିନ୍‌‌ ବ୍ୟବହାର କରାଯାଉଛି। ରାଜ୍ୟରେ ମୋଟ ୧୮ଟି ସାମୁଦ୍ରିକ ଥାନା କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ରୀୟ ଯୋଜନାରେ ପୁଲିସକୁ ୧୫ଟି ହାଇସ୍ପିଡ୍‌‌ ଇଣ୍ଟରସେପ୍ଟର ବୋଟ୍‌‌ ଯୋଗାଇ ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ଅତ୍ୟାଧୁନିକ ଉପକରଣ ସହ କାର୍‌‌ ଓ ଦୁଇ ଚକିଆ ଯାନର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମାଝି କହିଛନ୍ତି। ପ୍ରତ୍ୟେକ ସାମୁଦ୍ରିକ ଥାନାକୁ ବର୍ଷକୁ ଅତି କମ୍‌ରେ ୧୮୦୦ ଘଣ୍ଟା ସମୁଦ୍ରରେ ପାଟ୍ରୋଲିଂ କରିବାକୁ କୁହାଯାଇଛି। ୨୦୨୩ ମସିହାରେ ପ୍ରତ୍ୟେକ ସାମୁଦ୍ରିକ ଥାନା ୨୩୯୫ ଘଣ୍ଟା ଧରି ସମୁଦ୍ର ପାଟ୍ରୋଲିଂ କରିଥିଲା। ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଯେ ବାଂଲାଦେଶରେ ସମ୍ପ୍ରତି ସଂଗଠିତ ଗୃହଯୁଦ୍ଧ ପରିସ୍ଥିତିରେ କେତେ ଓଡ଼ିଆ ପରିବାର ସେଠାରେ ରହିଛନ୍ତି ଏବଂ ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button