ଦେଶ ରାଜନୀତି

ଗଣତନ୍ତ୍ରର ହତ୍ୟା ପାଇଁ ଚାଲିଛି ହୀନ ଉଦ୍ୟମ,ଲାଲୁଙ୍କ ପରିବାର ଉପରେ ୧୪ ଘଣ୍ଟା ଇଡି ରେଡ୍ ନେଇ କେନ୍ଦ୍ରକୁ ଖଡ଼ଗେଙ୍କ ସମାଲୋଚନା

ନୂଆଦିଲ୍ଲୀ: ବିରୋଧୀଦଳ ନେତାଙ୍କ ବିରୋଧରେ ତଦନ୍ତ ସଂସ୍ଥା ଗୁଡିକର ଅପବ୍ୟବହାର କରି ନରେନ୍ଦ୍ର ମୋଦୀ ସରକାର ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ହୀନ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଉପରେ ହୋଇଥିବା ଇଡି ରେଡ୍ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ ଏହା କହିଛନ୍ତି।

ରେଳବାଇ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିଲ୍ଲୀ, ପାଟନା ଓ ନୋଏଡା ସ୍ଥିତ ଲାଲୁ ପ୍ରସାଦ ଯାଦବଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା । ବିଳମ୍ବିତ ରାତି ଯାଏ ଏହି ରେଡ୍ ଜାରି ରହିଥିଲା।

ଖଡଗେ ଟ୍ୱିଟ୍ କରି କହିଛନ୍ତି, ବିରୋଧୀଦଳର ନେତାଙ୍କ ଉପରେ ଇଡି-ସିବିଆଇର ଅପବ୍ୟବହାର କରି ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ମୋଦୀ ସରକାର ଏକ ହୀନ ଉଦ୍ୟମ କରୁଛନ୍ତି। ଦେଶର କିଛି ବ୍ୟବସାୟୀ ଯେତେବେଳେ କୋଟି କୋଟି ଟଙ୍କା ନେଇ ପଳାଇଥିଲେ ସେତେବେଳେ ମୋଦୀ ସରକାରଙ୍କ ଏଜେନ୍ସି କେଉଁଠି ଥିଲେ ? ଯେତେବେଳେ ଜଣେ “ଘନିଷ୍ଠ ବନ୍ଧୁ” ଆକାଶଛୁଆଁ ସମ୍ପତ୍ତି ଠୁଳ କରୁଛନ୍ତି ତାହାର କାହିଁକି ଯାଞ୍ଚ୍ କରାଯାଉ ନାହିଁ? ଲୋକେ ଏହି ଏକଛତ୍ରବାଦୀ ଶାସନକୁ ମୁହଁତୋଡ ଜବାବ ଦେବେ।

ଖଡ଼ଗେ ହିନ୍ଦୀରେ ଏକ ଟ୍ବିଟ୍ କରି କହିଛନ୍ତି ଯେ ମୋଦୀ ଜୀ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଗତ ୧୪ ଘଣ୍ଟା ଧରି ଇଡି ରଖିଛନ୍ତି। ତାଙ୍କ ଗର୍ଭବତୀ ପତ୍ନୀ ଏବଂ ଭଉଣୀମାନେ ହଇରାଣ ହେଉଛନ୍ତି। ଲାଲୁ ପ୍ରସାଦ ବୟସ୍କ ଓ ଅସୁସ୍ଥ, ତଥାପି ମୋଦୀ ସରକାର ତାଙ୍କ ପ୍ରତି ମାନବିକତା ଦେଖାଇ ନାହାଁନ୍ତି।”

Related Articles

Leave a Reply

Your email address will not be published. Required fields are marked *

Back to top button