ମୋହନ ସରକାରରେ ଅଫିସର୍ ରାଜ୍ ଶେଷ : ସାଂସଦ-ବିଧାୟକଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ସେଲ୍

ଭୁବନେଶ୍ବର : ବିଜେଡି ସରକାର ସମୟରେ ଚାଲିଥିଲା ଅଫିସର ରାଜ। ଅଫିସରଙ୍କ ପାଇଁ ଲୋକପ୍ରତିନିିଧି ମାନେ ରାସ୍ତା କ୍ଳିୟର କରୁଥିଲେ। ଆଉ ଅଫିସର ହିଁ ଥିଲେ ସର୍ବେସର୍ବା, ସିଏ ସରକାରରେ କୌଣସି କଥା ହେଉ କି ଦଳରେ। କିନ୍ତୁ ବିଜେଡି ସରକାର ଯିବା ପରେ ରାଜ୍ୟରେ ବିଜେପି ସରକାର ଆସିଛି। ଆଉ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୋହନ ସରକାର ଆସିବା ପରେ ଶେଷ ହୋଇଛି ଅଫିସର ରାଜ। ଏବେ ଅଫିସରଙ୍କୁ ପାନେ ଦେବାକୁ ମୋହନ ସରକାର କଡ଼ା ବାଣୀ ଶୁଣାଇଦେଇଛନ୍ତି। ଯେତିକି କାମ ଦରକାର ସେତିକି କରନ୍ତୁ। ଅଧିକ କଥାରେ ମୁଣ୍ଡ ପୁରାଇଲେ ଖରାପ ହେବ।
ଏଣକି ଅଫିସରମାନେ ସାଂସଦ ଓ ବିଧାୟକମାନଙ୍କୁ ଆଉ ଅଣଦେଖା କରିପାରିବେ ନାହିଁ । ସମ୍ମାନ ଜଣାଇବେ, ସେମାନଙ୍କ କଥା ଶୁଣି ଆଇନର ଗଣ୍ଡି ଭିତରେ ରହି ପଦକ୍ଷେପ ମଧ୍ୟ ନେବେ । ପ୍ରତ୍ୟେକ ମାସରେ ବିଧାୟକ ଓ ସାଂସଦମାନେ କେଉଁ ବିଭାଗ ସହ କ’ଣ ପତ୍ର ବିନିୟମ କରିଛନ୍ତି ତା’ର ମଧ୍ୟ ମାସିକ ଉଚ୍ଚସ୍ତରୀୟ ସମୀକ୍ଷା ହେବ । ଏଭଳି କିଛି ଢଙ୍ଗରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇ ବୁକ୍ ସର୍କୁଲାର-୪୭ରେ ଥିବା ପ୍ରାବଧାନ ଆଧାରରେ ସାଂସଦ ଓ ବିଧାୟକମାନଙ୍କୁ ପ୍ରଶାସନିକ କଳ ସମ୍ମାନ ଦେବାକୁ ବାଧ୍ୟ ବୋଲି ସତର୍କ କରାଇ ଦିଆଯାଇଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ବିଧାୟକ ଓ ସାଂସଦମାନଙ୍କୁ ବୁକ୍ ସର୍କୁଲାର-୪୭ର ପ୍ରାବଧାନ ଆଧାରରେ ଆବଶ୍ୟକ ସମ୍ମାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ ଓ ସାଂସଦମାନଙ୍କ ଚିଠି ଓ ସୁପାରିଶ ଆଦି ଉପରେ ବିଚାର କରିବା ପାଇଁ ଯେଉଁ ବିଭାଗଗୁଡ଼ିକ ଏପର୍ୟ୍ୟନ୍ତ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ସେଲ୍ ଖୋଲିନାହାନ୍ତି ସେମାନେ ମଧ୍ୟ ତୁରନ୍ତ ଏହି ସେଲ୍ ଖୋଲିବାକୁ କହିଛନ୍ତି ।
ଏହି ସେଲ୍ ଦାୟିତ୍ୱରେ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ଓ ଡିଲିଙ୍ଗ୍ ଅଫିସର ମଧ୍ୟ ନିଯୁକ୍ତି ପାଇବେ । ଯିଏ ସାଂସଦ ଓ ବିଧାୟକମାନଙ୍କ ଚିଠି,ସୁପାରିଶ ଓ ଅନ୍ୟାନ୍ୟ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବେ। ସମ୍ପୃକ୍ତ ବିଭାଗ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଜିଲ୍ଲା-ବ୍ଲକସ୍ତରୀୟ ଅଫିସ୍ ମଧ୍ୟ ବିଧାୟକ ଓ ସାଂସଦମାନଙ୍କ ଚିଠି ଓ ସୁପାରିଶ ଉପରେ କ’ଣ ପଦକ୍ଷେପ ନେଇଛନ୍ତି ତାହା ପ୍ରତିମାସର ୧୦ତାରିଖରେ ନିଜ ବିଭାଗକୁ ପଠାଇବେ । ଯାହାକୁ ସମ୍ପୃକ୍ତ ବିଭାଗ ଏକ ନିର୍ଦ୍ଧାରିତ ଫର୍ମାଟରେ ପ୍ରତିମାସର ୧୫ତାରିଖରେ ସାଧାରଣ ପ୍ରଶାସନ ବିଭାଗକୁ ପଠାଇବ । ମୁଖ୍ୟ ସଚିବ ନିଜେ ପ୍ରତିମାସର ୨୦ତାରିଖରେ ଏହାର ସମୀକ୍ଷା କରିବେ । ଯେଉଁ ସବୁ ଚିଠି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ମଧ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଏକ ସ୍ୱତନ୍ତ୍ର ରିପୋର୍ଟ ମାଧ୍ୟମରେ ବିଭାଗଗୁଡ଼ିକ ଜଣାଇବେ । ଯଦି ବୁକ ସର୍କୁଲାର-୪୭ ଉଲ୍ଲଘଂନ ହୋଇଥିବାର କୌଣସି ପ୍ରମାଣ ମିଳେ ତା’ହେଲେ ସମ୍ପୃକ୍ତ ଅଫିସରଙ୍କ ବିରୁଦ୍ଧରେ ଏହି ବୁକ ସର୍କୁଲାରର ରୁଲ-୧୨ ଆଧାରରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।